ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଦୁଘର୍ଟଣା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି 

Mar 1, 2024 - 19:38
Mar 1, 2024 - 20:00
 0  756
ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଦୁଘର୍ଟଣା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି 
ଭଦ୍ରକ :  ଆଗାମୀ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍େରବାହ ଜନିତ ଦୁର୍ଘଟଣାର ମୁକାବିଲା  ନେଇ ଗ୍ରୀଷ୍ମ ଋତୁର ଆଗମନ ପୂର୍ବରୁ ସଂପୃକ୍ତ ବିଭାଗୀୟ ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତ୍ୱନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଏ.ଏସ୍‌.ପି. ବାମଦେବ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 
ଗତବର୍ଷ ସମେତ ଲଗାତର ବିଗତ ୪ ବର୍ଷ ଧରି ଭଦ୍ରକ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଶୂନ ଥିବା ଜିଲ୍ଲା ପ୍ରଶାସନ ପାଇଁ ଏକ ଉତ୍ସାହପ୍ରଦ ବିଷୟ । ଚଳିତ ବର୍ଷ ପାଇଁ ମଧ୍ୟ ତାହା ବଜାୟ ରଖିବାକୁ ସମସ୍ତ ସଂପୃକ୍ତ ବିଭାଗୀୟ ପ୍ରସ୍ତୁତି ତତ୍ପର ରହିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକର ପ୍ରାରମ୍ଭରେ ଦୃଶ୍ୟ ଫଳକ ଜରିଆରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତନ୍ମିତା କର ସଂପୃକ୍ତ ସମସ୍ତ ବିଭାଗୀୟ ଦାୟିତ୍ୱ ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ଗ୍ରୀଷ୍ମ ପ୍ରବାହ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସ୍ୱାସ୍ଥ୍ୟ, ପାନୀୟ ଜଳ, ପ୍ରାଣୀ ସମ୍ପଦ, ଶିକ୍ଷା, ଅଙ୍ଗନବାଡ଼ି, ବସଚଳାଚଳ, ଶ୍ରମିକ କଲ୍ୟାଣ, ଆଦି ନେଇ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କ ତଥ୍ୟ ଉପସ୍ଥାପନ ଆଧାରରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆବଶ୍ୟକ ମତେ ପ୍ରସ୍ତୁତି ଓ ସଜାଗ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସୂଚନା ମତେ ଅଂଶୁଘାତ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ.ସି. ବ୍ୟବସ୍ଥା ଥାଇ ସ୍ୱତନ୍ତ୍ର କକ୍ଷ, ୬ଟି ଶଯ୍ୟା, ଆଇସ୍ ବ୍ୟାଗ ସହିତ ଆନୁସଙ୍ଗିକ ଔଷଧ ପତ୍ର, ଡାକ୍ତର ବ୍ୟବସ୍ଥା ମହଜୁଦ ରଖାଯାଇଛି । ପ୍ରତି ସି.ଏଚ୍‌.ସି.ରେ ମଧ୍ୟ ଅଂଶୁଘାତ ଜନିତ ଚିକିତ୍ସା ପାଇଁ ଥିବା ସ୍ୱତନ୍ତ୍ର କକ୍ଷ ବ୍ୟାବସ୍ଥା ଠିକ୍ ଭାବେ କାର୍ଯ୍ୟକାରୀ ଅଛି କି ନାହିଁ ତନଖି କରିବା ପାଇଁ  ସି.ଡ଼ି.ଏମ୍‌.ଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ପାଇଲା ମାତ୍ରେ ଅଚଳ ନଳକୂପ ମରାମତି କରିବା, ପାଇପ୍ ଦ୍ୱାରା ପାନୀୟ ଜଳ ଯୋଗାଣ ନେଇ ଅଭିଯୋଗର ସମାଧାନ କରିବା, ଜଳଛତ୍ର ଖୋଲାଯିବା ବ୍ୟବସ୍ଥାରେ ଉପଯୁକ୍ତ ପାନୀୟ ଜଳ ରଖାଯିବା ସହ ପ୍ରତିଦିନ ପରିଷ୍କାର କରାଯିବା, ଗୋମେଷାଦି ମାନଙ୍କ ପାଇଁ ପାଣି କୁଣ୍ଡ ନିର୍ମାଣ, ଦିବା ୧୧ଟାରୁ ୩ ଟା ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଶ୍ରମ ନିଷେଧ୍ୟ, ଶ୍ରମ ସ୍ଥାନରେ ଶ୍ରମିକ ମାନଙ୍କ ପାଇଁ ପାନୀୟଜଳ,  ବିଶ୍ରାମସ୍ଥଳୀ ବ୍ୟବସ୍ଥା, ସ୍କୁଲ, ଅଙ୍ଗନବାଡ଼ି ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୂଚୀର କାର୍ଯକାରୀତା, ବସ୍ ମାନଙ୍କରେ ଥଣ୍ଡା ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ସରଞ୍ଜାମ, ଅତ୍ୟଧିକ ଯାତ୍ରା ପରିବହନ ନିଷେଧ ଆଦି ଅଂଶୁଘାତ ମୁକାବିଲା ସମ୍ପୃକ୍ତ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ମୁଖ୍ୟ ଏବଂ ତହସିଲଦାରମାନେ ଏହି ବୈଠକରେ ଉପସ୍ଥିତ ଥିଲେ । 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0