କିଏ ହେବେ ବିଜୟୀ ? ୨୦୨୪ ସାଧାରଣ ନିର୍ବାଚନ ପାଇଁ କସରତ
ବାସୁଦେବପୁର (RNI) : ଭଦ୍ରକ ସାଂସଦୀୟ କ୍ଷେତ୍ର ଅନ୍ତର୍ଗତ ୫ଟି ବିଧାନସଭା ମଣ୍ଡଳୀ ମଧ୍ୟରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି । ତିନିଜଣ ମୁଖ୍ୟମନ୍ତ୍ରୀ ଦେଇଥିବା ବାସୁଦେବପୁର ବିଧାନସଭା ଆସନ ଉପକୂଳ ଓଡିଶାର ଏକ ଚର୍ଚ୍ଚିତ ବିଧାନସଭା ଆସନ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ସୁଯୋଗ୍ୟ ଦାୟାଦ ତଥା ଛଅ ଥରର ବିଧାୟକ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ କନିଷ୍ଠପୁତ୍ର ବର୍ତ୍ତମାନର ବିଧାୟକ । ପୁଣି ଥରେ ଆସ୍ଥା ପ୍ରକଟ କରି ଦଳ ପକ୍ଷରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନରେ ବିଷ୍ଣୁବ୍ରତ ରାଉତରାୟ । ଚଳିତ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ।
ଏପରିସ୍ଥଳେ ନିଜର ପାଞ୍ଚବର୍ଷର କାର୍ଯ୍ୟାଶୈଳୀ ଓ ପିତାଙ୍କ ସୁନାମ ସହିତ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ପାଥେୟ କରି ଦ୍ବିତୀୟ ଥର ବିଧାୟକ ଭାବରେ ନିର୍ବାଚିତ ହେବା ପାଇଁ କର୍ମୀ ସମ୍ମିଳନୀ ଠାରୁ ଆରମ୍ଭ କରି ଘରକୁ ଘର ବୁଲି ପ୍ରଚାରରେ ଲାଗି ପଡିଛନ୍ତି ବିଧାୟକ ବିଷ୍ଣୁବ୍ରତ ।
ସେହିପରି ୨ୟ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସପ୍ରାର୍ଥୀ ,ବାସୁଦେବପୁର ର ପୂର୍ବତନ ମ୍ୟୁନିସପାଲିଟ୍ ଚେୟାରମ୍ୟାନ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ । ପ୍ରଥପ୍ରାନ୍ତ ସଭା ଠାରୁ ଆରମ୍ଭ କରି ଘରକୁ ଘର ବୁଲି ପ୍ରଚାର ରେ ଲାଗି ପଡିଛନ୍ତି । ୨୦୧୯ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତଙ୍କ ଠାରୁ ମାତ୍ର ୯୫୮୧ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନ ରେ ଅଶୋକ ଦାସଙ୍କ ରଣକୌଶଳରେ ବିଜେପି ଓ ବିଜେଡ଼ିକୁ ପଛରେ ପକାଇ ବିଜୟୀ ପାଇଁ ଅଣ୍ଟଭିଡିଛନ୍ତି ।
ଅପରପକ୍ଷରେ ବିଜେପି ମଧ୍ୟ ଆପଣାଇଛି ରାଜନୈତିକ ଗୈଟିଚାଳନା , ନୂଆ ଚେହେରା ସହ ନିର୍ବାଚନ ମଇଦାନରେ । ଗତଥରର ବିଜେପି ପ୍ରାର୍ଥୀ ହୋଇଥିବା ଓ ପାଞ୍ଚ ବର୍ଷ ଧରି ସଂଗଠନ ସମ୍ଭାଳିଥିବା ମାଧବାନନ୍ଦ ମଲ୍ଲିକଙ୍କ ବଦଳରେ ନୂଆ କରି ବିଜେପିରେ ଯୋଗ ଦେଇଥିବା ଯୁବନେତା ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଭୋଟର ମାନଙ୍କ ନିକଟତର ହେବା ପାଇଁ ବାଣୀ କଲ୍ୟାଣ ମଧ୍ୟ ପୁରା ଦମରେ ଲାଗି ପଡିଛନ୍ତି । ବିଜେପି ନୌକାରେ ନିର୍ବାଚନ ବୈତରଣୀ ପାର ହୋଇଯିବାକୁ ସେ ମଧ୍ୟ କର୍ମୀ ସମ୍ମିଳନୀ ଠାରୁ ଆରମ୍ଭ କରି ପଥପ୍ରାନ୍ତ ସଭା କରି ଭୋଟରମାନଙ୍କୁ ଆପଣାଇବା ପାଇଁ ଲାଗିପଡିଛନ୍ତି । ଗତ ନିର୍ବାଚନରେ ର ମାତ୍ର ଉଣେଇଶ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ଭୋଟରେ ବଦଳାଇବା ତାଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଦେଖିବାକୁ ବାକି ରହିଲା ଜନତା ଜନାର୍ଦ୍ଧନ କାହାକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି ।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2
What's Your Reaction?






